ବାଇଶି ପାହାଚର ତତ୍ତ୍ୱ ଓ ମହତ୍ତ୍ୱ !!

ବାଇଶି ପାହାଚର ତତ୍ତ୍ୱ ଓ ମହତ୍ତ୍ୱ !!

ବାଇଶି ପାହାଚ ଶବ୍ଦର ଅର୍ଥ ଅତି ଗଭୀର । ପ୍ରତ୍ୟେକ ପାହାଚର ଗୁରୁତ୍ୱ ଓ ମହିମା ରହିଛି । ପ୍ରତିଟି ପାହାଚରେ ରହିଛି ଧର୍ମ, ଦର୍ଶନ ଓ ତତ୍ତ୍ୱର ସୁନ୍ଦର ଉପାଖ୍ୟାନ । ପ୍ରତ୍ୟେକ ପାହାଚର ମହିମା ଭିନ୍ନଭିନ୍ନ ଅଟେ (1)




ପ୍ରଥମ ପାଞ୍ଚଟି ଚକ୍ଷୁ, କର୍ଣ୍ଣ, ନାସିକା, ମୁଖ ଓ ଚର୍ମ । ଦ୍ୱିତୀୟ ପାଞ୍ଚଟି ପାହାଚକୁ କୁହାଯାଏ ପଞ୍ଚପ୍ରାଣ ଅର୍ଥାତ୍- ପ୍ରାଣ, ଅପାନ, ବ୍ୟାନ, ଉଦାନ, ଓ ସମାନ । ଏହା ପାଞ୍ଚଟି ଶକ୍ତି ଯାହା ଶରୀରରେ ପ୍ରାଣ ସଞ୍ଚାର କରିଥାଏ । ତୃତୀୟ ପାଞ୍ଚଟି ପାହାଚ ଅନ୍ତଃ ସୌନ୍ଦର୍ଯ୍ୟ ଭାବେ ଗ୍ରହଣ କରାଯାଏ (2)

ଏହି ପାଞ୍ଚଟି ପାହାଚ ରୂପ, ରସ, ସ୍ୱାଦ, ଗନ୍ଧ ଓ ଶବ୍ଦ । ଚତୁର୍ଥ ପାଞ୍ଚଟି ପାହାଚକୁ ପଞ୍ଚମହାଭୂତ ଭାବେ ବର୍ଣ୍ଣନା କରାଯାଏ । ଏହି ପାଞ୍ଚଟି ପାହାଚକୁ କୁହାଯାଏ ପୃଥି, ଜଳ, ଅଗ୍ନୀ, ବାୟୁ ଓ ଆକାଶ । ୨୧ତମ ପାହାଚକୁ ଜ୍ଞାନ, ଓ ୨୨ତମ ପାହାଚକୁ ମୋହ ରୂପେ ଅଭିହିତ କରାଯାଇଅଛି ।(3)

ପୌରାଣିକ ମତବାଦ ଅନୁଯାୟୀ ଭଗବାନ ବିଷ୍ଣୁଙ୍କର ୨୨ଟି ଅବତାରଙ୍କ ନାମରେ ନାମିତ କରାଯାଇଅଛି ବାଇଶି ପାହାଚକୁ।ଏହି ୨୨ ଅବତାରଙ୍କ ନାମ କଟୁରାସନ, ନାରଦ, ବରାହ, ମତ୍ସ୍ୟ, ଯଜ୍ଞ, ନରନାରାୟଣ, କପିଳ,ଦତ୍ତାତ୍ରେୟ, ପ୍ରଶ୍ନିଗର୍ଭ, ଋଷଭ, ପୃଥୁ, ନରସିଂହ, କୁର୍ମ, ଧନ୍ୱନ୍ତରି, ମୋହିନୀ, ବାମନ, ପର୍ଶୁରାମ,ରାମ, ବ୍ୟାସ, ବଳରାମ, କୃଷ୍ଣ ଓ କଳ୍କୀ(4)

ଶ୍ରୀଜଗନ୍ନାଥ ଚେତନାର ଶରୀର ତତ୍ତ୍ୱ ସହିତ ଅତି ଘନିଷ୍ଠ ସମ୍ପର୍କ ରହିଛି ବାଇଶି ପାହାଚର । ଜୀବାତ୍ମା ୨୧ ପାହାଚକୁ ଅତିକ୍ରମ କରି ୨୨ ପାହାଚରେ ପରମାତ୍ମା ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ ଲାଭ କରେ । ଶ୍ରୀଜଗନ୍ନାଥ ମହାପ୍ରଭୁ ରତ୍ନ ସିଂହସନରେ ଅଧିଷ୍ଠିତ ଏବଂ ଏହାର ଅନ୍ୟନାମ ଗୋଲକ (5)

ଗୋଲକର ଅଧ୍ୟଃ ଦେଶରେ ରହିଛି ଅଷ୍ଟ ବୈକୁଣ୍ଠ ଏବଂ ଅଷ୍ଟ ବୈକୁଣ୍ଠର ଅଧ୍ୟଃ ଦେଶରେ ବିରାଜମାନ ଚତୁର୍ଦ୍ଦଶ ଭୁବନ । ହିରଣ୍ୟଗର୍ଭ ହେଉଛି ଶ୍ରୀଜଗନ୍ନାଥଙ୍କର ପଦ୍ମାସନ.! ଯୋଗୀମାନେ ନିରନ୍ତର ଯୋଗ ସାଧନା କରି ମଧ୍ୟ ଗୋଲକ ଦର୍ଶନର ମହାପୁଣ୍ୟର ସୌଭାଗ୍ୟ ଲାଭ କରିପାରନ୍ତି ନାହିଁ ।(6)

ଅଷ୍ଟ ବୈକୁଣ୍ଠ ଓ ଚତୁର୍ଦ୍ଦଶ ଭୁବନ ଅତିକ୍ରମ ପରେ ଗୋଲକ ଧାମର ସାନ୍ନିଧ୍ୟ ମିଳିପାରିବ।ଏ ପରମ ସୌଭାଗ୍ୟ କିନ୍ତୁ ଏତେ ସହଜରେ ମିଳିପାରେ ନାହିଁ କାରଣ ମନୁଷ୍ୟର ମନ ପ୍ରକୃତିର ମାୟାଜାଲରେ ଆବଦ୍ଧ।ପରା ଓ ଅପରା ଏହି ଦୁଇ ପ୍ରକୃତି ସର୍ବଦା ମନୁଷ୍ୟକୁ ନିଜ ଆୟତ୍ତରେ ରଖିଥାନ୍ତି। ଏ ମାୟା ବନ୍ଧନରୁ ମୁକ୍ତି ପାଇବା ଏତେଟା ସହଜସାଧ୍ୟ ନୁହେଁ..(7)

ଏହି ପ୍ରକୃତି ୨୫ ପ୍ରକାର । ତିନୋଟି ପରା ପ୍ରକୃତି- ସତ୍ତ୍ୱ, ରଜ, ତମ ଏବଂ ୨୨ଟି ଅଟେ ଅପରା ପ୍ରକୃତି ଯଥା- କାମ, କେଳି, ସଂଭୋଗ, ମିଥୁନ, ନିବୃତ୍ତି, ଉକ୍ରଣ୍ଠା, ଲୋଭ, ସଞ୍ଚୟ, କୋଷା, ଅବମାୟା, ହିଂସା, ଈର୍ଷା, କିଶୁନତା, କପଟ, ମିଥ୍ୟା, ଘୃଣା, ନିନ୍ଦିବା, ଅଜ୍ଞାନ, କ୍ରୋଧ, ରାଗ, ଦ୍ୱେଷ, ଅହଙ୍କାର ଓ ଗର୍ବ । (8)

ତିନୋଟି ପରା ପ୍ରକୃତିକୁ ଛାଡ଼ି ବାଇଶିଟି ଅପରା ପ୍ରକୃତିକୁ ଅତିକ୍ରମ ନକଲେ ବ୍ରହ୍ମଦର୍ଶନ ସମ୍ଭବପର ନୁହେଁ..!ଅନ୍ୟ ଅର୍ଥରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବାଇଶି ପାହାଚରେ ପାଦ ଦେଲା ମାତ୍ରେ ସ୍ୱତଃ ସମସ୍ତ ଦୋଷର ବିଲୀନ ଘଟେ।ତେଣୁ ଏହି ବାଇଶି ପାହାଚ ମନୁଷ୍ୟକୁ ବାଇଶି ଦୋଷରୁ ମୁକ୍ତ କରି ମୋକ୍ଷ ପ୍ରାପ୍ତିର ମାର୍ଗ ଦେଖାଏ(9)

ଶ୍ରୀମନ୍ଦିରର ବାଇଶି ପାହାଚର ନାମଗୁଡ଼ିକ ଯଥା- ତ୍ରୀବ, କୁମୁଦ ବତୀ, ମନ୍ଦା, ଛନେ୍ଦାବତୀ, ଦୟାବତୀ, ରଜନୀ, ରତିକା, ରୌଦ୍ରା, କ୍ରୋଧା, ବଦ୍ରିକା, ପ୍ରସାରିଣୀ, ବ୍ରତୀ, ମାର୍ଜନୀ, କ୍ଷାତି, ଭକ୍ତା, ସାନ୍ଦିପନୀ, ଅଜାପନି, ମଦନ୍ତି, ରୋହିଣୀ, ରମ୍ୟା, ଉଗ୍ରା, କ୍ଷୋଭିନି.!ପ୍ରତ୍ୟେକ ପାହାଚର ନିଦ୍ଦିଷ୍ଟ ବୈଶିଷ୍ଟ ଓ ମାହାତ୍ମ୍ୟ ରହିଛି (10)

ପ୍ରଥମ ପାହାଚରୁ ହରିନାମ ଶ୍ରବଣ,କୀର୍ତ୍ତନ ପାଇଁ ପ୍ରେରଣା ମିଳିଥାଏ।କୁଭାଷାରୁ ବିରତ ରହିବା ଏ କଥା ଶିକ୍ଷାଦିଏ ପ୍ରଥମ ପାହାଚ।ଦ୍ୱିତୀୟ ପାହାଚର ବାର୍ତ୍ତା ଦୁଇ ହସ୍ତ ଯୋଡ଼ି ପରମ କାରୁଣିକ ଜଗତପିତାଙ୍କୁ ପ୍ରଣାମ କରିବାକୁ ପରାମର୍ଶ ଦେଇଥାଏ।ତୃତୀୟ ପାହାଚର ମାହାତ୍ମ୍ୟ ବିଷୟରେ ଉଲ୍ଲେଖ ଅଛି ପଦବ୍ରଜରେ ଗମନ କରି ପ୍ରଭୁଙ୍କୁ ଦର୍ଶନ କରିବା(11)

ଚତୁର୍ଥ ପାହାଚ ବ୍ରହ୍ମଚର୍ଯ୍ୟ ପାଳନର ଆବଶ୍ୟକତା ସମ୍ବନ୍ଧରେ ଅବଗତ କରାଏ | ପଞ୍ଚମ ପାହାଚ ଯୋଗସାଧନା ନିମନ୍ତେ ଗୁରୁତ୍ୱାରୋପ କରେ।ଷଷ୍ଠ ପାହାଚର ମହିମା ସମ୍ପର୍କରେ ପଣ୍ଡିତମାନେ କୁହନ୍ତି ଏହା ସମାନତା, ନୀତିକୁ ସମ୍ମାନ ଦିଏ।ସପ୍ତମ ପାହାଚରେ ମିଥ୍ୟାକୁ ପରିହାର କଲେ ସତ୍ୟ ବଚନ ଶ୍ରବଣ କଲେ ଦାରୁବ୍ରହ୍ମଙ୍କ ଦର୍ଶନ ମିଳିବ ବୋଲି ବିଶ୍ୱାସ(12)

ବାଇଶି ପାହାଚ ମଧ୍ୟରୁ ଅଷ୍ଟମ ପାହାଚ ହେଉଛି ସ୍ୱତନ୍ତ୍ର।ଏହି ପାହାଚରେ ରହି ନୀଳଚକ୍ର ସ୍ମରଣ କରି ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ଭକ୍ତର ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।ନାରୀମାନେ ନବମ ପାହାଚରେ ବ୍ରାହ୍ମଣମାନଙ୍କୁ ଦାନ,ଦକ୍ଷିଣ,ଅନ୍ନଦାନ ପ୍ରଦାନ କଲେ ବୈଧବ୍ୟ ଓ ବନ୍ଧ୍ୟା ଦୋଷରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ(13)

ଦଶମ ପାହାଚରେ ଶ୍ରାଦ୍ଧ ଦିଆଯାଏ ପିତୃଲୋକକୁ ଏବଂ ଦଶଦ୍ୱାର ଖୋଲିବାର ଏକ ମାଧ୍ୟମ ଅଟେ ଏହି ପାହାଚ । ଏହି ପାହାଚରେ ରହି ଜପ, ତପ, ଧ୍ୟାନ କଲେ ମୁକ୍ତି ମିଳେ ବୋଲି ଭକ୍ତମାନଙ୍କ ମନରେ ଦୃଢ଼ ବିଶ୍ୱାସ ଅଛି । ଏକାଦଶ ପାହାଚରେ ପୁତ୍ର ସନ୍ତାନ କାମନା କରି ଦାରୁବ୍ରହ୍ମଙ୍କୁ ସ୍ମରଣ କରିବାର ବିଧିରହିଛି ।(14)

ଦ୍ୱାଦଶ ପାହାଚରେ ଦଣ୍ଡାୟମାନ ହୋଇ ପରଂବ୍ରହ୍ମଙ୍କୁ ସ୍ମରଣ କଲେ ସତ୍ତ୍ୱ ଓ ରଜ ଗୁଣର ବିକାଶ ହୁଏ ତୟୋଦଶ ପାହାଚ ସମସ୍ତ ଅହଙ୍କାରକୁ ମନରୁ ଦୂରେଇ ଦେଇଥାଏ । ଚତୁଃର୍ଦଶ ପାହାଚରେ ପ୍ରଭୁଙ୍କୁ ସ୍ମରଣ କଲେ ମନରୁ କାମନାର ବିନାଶ ଘଟେ । ପଞ୍ଚଦଶ ପାହାଚରେ ପ୍ରଭୁଙ୍କର ଗୁଣଗାନ କଲେ ମନରୁ କ୍ରୋଧ ଭାବ ଦୂର ହୁଏ ।(15)

ଷୋଡ଼ଶ ପାହାଚରେ ଉପସ୍ଥିତ ହେଲେ ମନରେ ସମର୍ପଣ ଭାବ ଉଦ୍ରେକ ହୁଏ ଓ ସପ୍ତଦଶ ପାହାଚରେ ମୋହଭାବ ଦୂର ହୋଇଥାଏ ଅଷ୍ଟାଦଶ ପାହାଚ ମନରୁ ଆସକ୍ତିଭାବ ଦୂର କରିବାରେ ସାହାଯ୍ୟ କରେ ଓ ନିଷ୍କାମ କର୍ମ ପ୍ରତି ଆଗ୍ରହ ସୃଷ୍ଟି କରିଥାଏ । ଊନବିଂଶତମ ପାହାଚ କାମନାର ବିନାଶ ଓ ଈଶ୍ୱର ପ୍ରାପ୍ତି ପ୍ରତି ଆଗ୍ରହ ସୃଷ୍ଟି କରାଇଥାଏ ।(16)

ବିଂଶତମ ପାହାଚରେ ଦାରୁବ୍ରହ୍ମଙ୍କ ପ୍ରତି ଭକ୍ତିସୁମନ ଅର୍ପଣ କଲେ ତମ ଗୁଣର ବିନାଶ ହୁଏ ଏକବିଂଶତମ ପାହାଚ ରଜୋ ଗୁଣର ବିନାଶ କରାଇବା ସହିତ ଭକ୍ତଙ୍କୁ ଭଗବତ୍ ପ୍ରାପ୍ତିରେ ସାହାଯ୍ୟ କରିଥାଏ । ଦ୍ୱିବିଂଶତମ ପାହାଚ ଯାହା ସତ୍ତ୍ୱ ଗୁଣର ବିକାଶରେ ଆଗ୍ରହ ସୃଷ୍ଟି କରିଥାଏ ।(17)


ଏମିତି ଆହୁରି ଅନେକ କଥା ଅଛି ଏ ଜଗନ୍ନାଥ ସଂସ୍କୃତି ଉପରେ !! ଭଲ ଲାଗିଲେ ଆଗକୁ ଆହୁରି କିଛି ତଥ୍ୟ ଉପସ୍ଥାପନ କରିବି


ଜୟ ଜଗନ୍ନାଥ🙏🙏🙏


Credit: https://twitter.com/pani_patita

Comments

Popular posts from this blog

The Rath Yatra, also known as the Chariot Festival

कोई मुझे बताएगा कि मैं सिर्फ जगन्नाथ को अपने घर पे ला सकता हूं | या तीनो को साथ ही लाना होता है?

The Bedi Hanuman Temple in Puri, Odisha, India